ରାତି -୧
ହସ୍ପିଟାଲ ଡ୍ୟୁଟି ସାରି ଫେରୁଫେରୁ ରାତି ପ୍ରାୟ ଗୋଟାଏ ହେଲାଣି , ଡାକ୍ତର ସୁରେଶ ସମୟ ଦେଖି କାରର ବେଗ ଟିକେ ବଢ଼େଇଦେଲେ .... ଭୁବନେଶ୍ୱରରେ ଅଗଷ୍ଟ ମାସର ଗୁଳୁଗୁଳି ,ଆଉ ଦିନସାରା ସେ ଫେସ ସିଲଡ (face shield) ପିନ୍ଧି ରୋଗୀ ଦେଖିଦେଖି ଖୁବ ଥକ୍କା ଲାଗୁଥାଏ ସୁରେଶ ଙ୍କୁ.... କାର ଭିତରେ ଏ.ସି କୁ ଆଉ ଟିକେ ଜୋର କରିଦେଲେ ସୁରେଶ ,ଏଣେ ସ୍ପଟିଫାଇ ଲୁପରେ ମନପସନ୍ଦ ଗାୟକ କୈଳାଶ ଖେରଙ୍କ ପ୍ଲେ ଲିଷ୍ଟ ଅନ ଅଛି .... ସୁଫି ସଙ୍ଗୀତଆରମ୍ଭ ହୁଏ ," ଆଜ ମେରେ ପିୟା ଘର ଆୱେଙ୍ଗେ " .. ମ୍ୟୁଜିକ ସହ ଟିକେ ଗୁଣୁଗୁଣେଇ ଦିଏ ସୁରେଶ , କାର ଏ ଭିତରେ ବାଣୀ ବିହାର ଛକରୁ ରୂପାଲି ଡେଇଁ ସତ୍ୟନଗର କାଳୀ ମନ୍ଦିର ସାମ୍ନାରେ ପ୍ରାୟ । ସେଇ ଗଳିରେ ସିଧା ଆଗକୁ ଯାଇ ଡାହାଣ ପଟକୁ ଗଲେ ପଡ଼େ ପଞ୍ଜାବୀ କଲୋନୀ ,କଲୋନୀର ଆଉ ଟିକେ ଆଗରେ ଡାକ୍ତର ସୁରେଶଙ୍କର ଆପାର୍ଟମେଂଟ, ମେନ ରୋଡ଼ରୁ ଅଢେଇ କିଲୋମିଟର ଭିତରେ ... କିନ୍ତୁ ଏ ନାଇଟ କରଫ୍ୟୁ ପାଇଁ ଶୁନଶାନ ହେଇଯାଇଛି ରାସ୍ତା , ରାସ୍ତାକଡର ବିଜୁଳି ଖୁଣ୍ଟିର ଆଲୁଅ ସୁରେଶର ଜୀବନ ଭଳି ଖୁବ ଉଦାସୀ । ଏଇ ରାସ୍ତା ତା'ର ଖୁବ ପ୍ରିୟ ଥିଲା ଦିନେ ... ପିଲାଦିନେ ଏଇ ରାସ୍ତାରେ ସାଙ୍ଗସାଥି ନେଇ କ୍ରିକେଟ ଖେଳୁଥିଲା ,ସାଇକେଲ ଚଲଉଥିଲା ; ପୁଣି ଆଦ୍ୟ ଯୌବନରେ ମୌସୁମୀର ହାତ ଧରି ଏଇ ଗଳିରେ ବୁଲେଇ ନେଉଥିଲା ଘରଲୋକଙ୍କୁ ଟିକେ ଲୁଚିକରି ଆଉ ଜାଗର ଜାଳୁଥିଲେ ଦୁହେଁ ସମସ୍ତଙ୍କ ଆଢୁଆଳରେ ସେଇ ଶିବମନ୍ଦିରରେ.... ପୁଣି ମନେପଡୁଥିଲା , ସୁରେଶ ବୁର୍ଲା ମେଡିକାଲ କଲେଜରେ ପଢିବାକୁ ଯାଉଥିଲା ବେଳେ ଏଇ ବୁଲାଣି ପାଖେ ମହମ ମୂର୍ତ୍ତି ଟିଏ ଭଳି ଚାହିଁରହିଥିବା ମୌସୁମୀର ସେ ଗାଢ଼ କଳା ମୟୂରୀ ଆଖିରୁ ଝରୁଥିବା ଲୁହବିନ୍ଦୁ , ଆଉ କାଳୀ ମା' ଙ୍କ ଉଦ୍ଦେଶ୍ୟରେ ପୁଅର ଶୁଭ ମନାସି ହଜାରେ ଦଣ୍ଡବତ କରୁଥିବା ତା' ବୋଉର ସେ ଦୁଇ ହଳଦୀ ମଖା ହାତ ........ ଉଣେଇସି ବର୍ଷର ସୁରେଶ ସେତେବେଳେ ଜାଣିନଥିଲା ଯେ ଏ ତା'ର ଜୀବନରେ କେବଳ ସ୍ମୃତି ହୋଇ ରହିଯିବ ବୋଲି , ମା' ର ପଣତ କାନି ତା' ମୁଣ୍ଡ ଉପରୁ ସବୁଦିନ ପାଇଁ ହଟିଯିବ ବୋଲି .. ତା' ପ୍ରିୟତମା ମୌସୁମୀ କୁ ଏ ସହର ଏମିତି ନିଜ ପେଟ ଭିତରେ ହଜେଇଦେଵ ବୋଲି ....। ଏ ଭିତରେ ସୁରେଶଙ୍କର ଗାଡ଼ି ଖ୍ରୀଷ୍ଟିଆନ ସିମେଟ୍ରି ପାରି ହୋଇ ଗଳି ମୁଣ୍ଡରେ ପହଞ୍ଚି ଯାଇଥିଲା ,ହଠାତ କିଛି ଗୋଟେ ଧକ୍କାରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହେଇଗଲା ଆଉ ମ୍ୟୁଜିକ ବକ୍ସ କିଛି ଗୋଟେ ଅବୁଝା ଶବ୍ଦ କରି ରହିଗଲା ... ଏ.ସି କାରରେ ବସି ରହି ସୁରେଶ ଦେହରୁ ହଠାତ ଗମଗମ ଝାଳ ବୋହିବାକୁ ଲାଗିଲା ... ଅନ୍ୟ କିଛି ଭାବିବା ଆଗରୁ ସୁରେଶର କାନ୍ଧ ଉପରେ କାହା ହାତର ଶୀତଳ ସ୍ପର୍ଶ ..........ଏକ ଚିହ୍ନା ହାଲୁକା ବାସ୍ନାରେ କାର୍ ସାରା ଖେଳୁଥାଏ ..... (କ୍ରମଶଃ )
Comments
Post a Comment